ସ Sa

  • ସଂ — ବର୍ଣ୍ଣମାଳାର ଦ୍ୱାତ୍ରିଂଶ ବ୍ୟଞ୍ଜନ ବର୍ଣ୍ଣ — The 32nd letter of the Oriya consonants
  • ସଂ — [ଦ୍ର—ଏହାର ଉଚ୍ଚାରଣ ସ୍ଥାନ ଦନ୍ତ। ଏହା ଉଷ୍ମ ବା ଅଳ୍ପପ୍ରାଣ ବର୍ଣ୍ଣର ତୃତୀୟ ଅକ୍ଷର। ଜିହ୍ୱାର ଅଗ୍ର ଦନ୍ତମୂଳକୁ ନାମମାତ୍ର ସ୍ପର୍ଶ କଲେ ଏହି ଅକ୍ଷର ଉଚ୍ଚାରିତ ହୁଏ। ଏ ବର୍ଣ୍ଣ ଛାମୁଦାନ୍ତ ସାହାଯ୍ୟରେ ଉଚ୍ଚାରିତ ହେଉଥିବାରୁ ଦନ୍ତହୀନ ଶିଶୁମାନେ ଓ ବୃଦ୍ଧମାନେ 'ସ' ଭଲକରି ଉଚ୍ଚାରଣ କରି ପାରନ୍ତି ନାହିଁ। ଏହା ଇଂରାଜୀ — 'S'ଓ ଫାରସୀ 'ସିନ୍' ଓ 'ସେ' ଅକ୍ଷରର ଉଚ୍ଚାରଣ ପରି କିନ୍ତୁ ଭାଷାରେ ଏହା ଉଚ୍ଚାରିତ ହେଲାବେଳେ ତାଳୁ ଓ ମୂର୍ଦ୍ଧାଆଡ଼କୁ ଜିଭ ଯାଏ ଏଥିପାଇଁ ଏହା ଶ (ଇଂ.ss)ଓ ଷ (ଇଂ,sh)ପରି ଉଚ୍ଚାରିତ ହୁଏ ସାଧାରଣତଃ କଥାଭାଷାରେ ତାଲବ୍ୟ ଶ, ମୂର୍ଦ୍ଧନ୍ୟ ଷ ଓ ଦନ୍ତ୍ୟ ସ ମଧ୍ୟରେ ପ୍ରଭେଦ ରକ୍ଷିତ ହୁଏ ନାହିଁ, ଅର୍ଥାତ୍ ଶ, ଷ, ସ ବର୍ଣ୍ଣଯୁକ୍ତ ଶବ୍ଦମାନ ପ୍ରାୟ ଏକ ପ୍ରକାର ଉଚ୍ଚାରିତ ହୁଏ 'ପ୍ରାକୃତ'ରେ ମଧ୍ୟ ଦେଖାଯାଏ ଯେ, ତାଲବ୍ୟ ଶ, ମୂର୍ଦ୍ଧନ୍ୟ ଷ ଓ ଦନ୍ତ୍ୟ ସ—ଯୁକ୍ତ ସଂସ୍କୃତମୂଳକ ଶବ୍ଦମାନ କେବଳ ମାତ୍ର ଦନ୍ତ୍ୟ ସ—ଯୁକ୍ତ ହୋଇ ଲେଖାଯାଏ କେତେକ ଶିକ୍ଷିତ ବ୍ଯକ୍ତିଙ୍କ ମତ ଏହି ଯେ, ଓଡ଼ିଆ ଭାଷା ସଂସ୍କୃତମୂଳକ ଥିବାରୁ ସଂସ୍କୃତର ଯେଉଁ ଶବ୍ଦରୁ ଓଡ଼ିଆ ଭାଷାର ପ୍ରଚଳିତ ଦେଶୀୟ ଶବ୍ଦଟି ଆସିଅଛି, ତାକୁ ସେହି ମୌଳିକ ଅକ୍ଷର (ଶ, ଷ ବା ସ) ଯୁକ୍ତ କରି ଭାଷାରେ ଲେଖିବାକୁ ହେବ ଓ ଅନ୍ଯ ପ୍ରକାରେ ଲେଖିଲେ ତାହା ଅଶୁଦ୍ଧ ହେବ ଯଥା— ଶିଆଳ (ସଂ. ଶୃଗାଳ), ଶୁଆ (ସଂ. ଶୁକ), ଷଣ୍ଢ (ସଂ. ଷଣ୍ଡ ବା ଷଣ୍ଢ), ସହୀ (ସଂ ସଖୀ), ସୁଅ (ସଂ. ସ୍ରୋତ), ଶୋଇବା (ସଂ. ଶୀ ଧାତୁ), ଶିଖିବା (ସଂ. ଶିକ୍ଷ୍ ଧାତୁ) ଇତ୍ୟାଦି
  • ସଂ — କିନ୍ତୁ ଓଡ଼ିଆ ଭାଷା ସାକ୍ଷାତ୍ ସଂବନ୍ଧରେ ସଂସ୍କୃତରୁ ନ ଆସି 'ପ୍ରାକୃତ'ରୁ ଆସିଥିବାର ଭୂରି ଭୂରି ପ୍ରମାଣ ଥିବାସ୍ଥଳେ ଏପରି କଟକଣା କେତେଦୂର ଯୁକ୍ତିଯୁକ୍ତ, ତାହା ଶିକ୍ଷିତ— ସାଧାରଣ ବିଚାର କରିବେ। ଆହୁରି ଦେଖାଯାଏ ଯେ, ସଂସ୍କୃତରେ ମଧ୍ୟ ଏ କୁହେଳିକା ଛାଡ଼ିନାହିଁ। ଉଦାହରଣ ସ୍ୱରୂପ ଦେଖାଯାଏ ଯେ, ସଂସ୍କୃତରେ ଅନେକ ଶବ୍ଦ 'ଶ' ଓ ବିକଳ୍ପରେ 'ସ' ଅକ୍ଷରବିଶିଷ୍ଟ ହୁଏ ଏବଂ କେତେକ 'ସ' ଯୁକ୍ତ ଧାତୁରୁ ନିଷ୍ପନ୍ନ ଶବ୍ଦ 'ଶ' ଓ 'ଷ' ଯୁକ୍ତ ହୁଏ। ଏପରି ସ୍ଥଳେ ଓଡ଼ିଆରେ ଲେଖିଲାବେଳେ 'ଶିଆଳ' ଶୁଦ୍ଧ କି 'ସିଆଳ' ଶୁଦ୍ଧ ଏହା ନିର୍ଣ୍ଣୟ କରିବା ସହଜ ନୁହେ। ଅନ୍ତଃସ୍ଥ 'ଯ', ବର୍ଗ୍ୟ 'ଜ' ଓ ହ୍ରସ୍ୱ 'ଇ', ଦୀର୍ଘ 'ଈ' ସମ୍ବନ୍ଧରେ ମଧ୍ୟ ଏହାହିଁ ଦେଖାଯାଏ। ଉଦାହରଣ ସ୍ୱରୂପ ଦେଖାଯାଉ ଯେ, ସଂସ୍କୃତ ଶବ୍ଦଭେଦପ୍ରକାଶ, ନାନାର୍ଥ ସଂଗ୍ରହ, ଭୂରିପ୍ରୟୋଗକୋଷ, ନାନାର୍ଥସମୁଚ୍ଚୟ, କଳ୍ପଦ୍ରୁମ, ତ୍ରିକାଣ୍ଡ କୋଷାଦି ଗ୍ରନ୍ଥମାନଙ୍କରେ ନିମ୍ନରେ ଲେଖା ଯାଉଥିବା ଶବ୍ଦମାନଙ୍କର ଭିନ୍ନ ଭିନ୍ନ ଆକାର ଅଛି ଏବଂ ଏଗୁଡ଼ିକର ଓଡ଼ିଆ ଆକାର ଅଶୁଦ୍ଧ ବୋଲି ବୋଲିବା ଆମ୍ଭମାନଙ୍କ ପକ୍ଷରେ ମୂର୍ଖତା ହେବ। ଯଥା—
  • ସଂ — ସନ୍ ଧାତୁ=ଦେବା, ବାଣ୍ଟିବା, ସେବା କରିବା+ ଡ ପ୍ରତ୍ୟୟହୋଇ ପଦ ବାହାରିଲା ଶଣ୍ଡ ଓ ଷଣ୍ଢ (=ବୃଷ, ନପୁଂସକ)
  • ସଂ — ସୋ ଧାତୁ=ନାଶ କରିବା+କ୍ୱିପ୍=ଷଷ୍ (ଛଅ)
  • ସଂ — ଏଣୁ ଏଠାରେ ବକ୍ତବ୍ୟ ଏହି କି, ସଂସ୍କୃତ ଭାଷା ପାଇଁ ଯେତେ ପାଣ୍ଡିତ୍ୟ ଆବଶ୍ୟକ, ପ୍ରାକୃତ ଓ ଓଡ଼ିଆ ଭାଷାର ବ୍ଯବହାର ପାଇଁ ସେତେ ପାଣ୍ଡିତ୍ୟ ଲୋଡ଼ା ନ ଥାଏ। ଏଥି ପାଇଁ 'ପ୍ରାକୃତ'ରେ ଗୋଟିଏ 'ସ' ରଖି ଏ ସବୁ ଗୋଳ— ମାଳକୁ ଏଡ଼ିବାକୁ ହୋଇଅଛି। ଓଡ଼ିଆ ଭାଷାରେ ମଧ୍ୟ ସେହି ଆଡ଼କୁ ଲକ୍ଷ୍ୟ ରହିଲେ ଭଲ ହୁଅନ୍ତା ବୋଲି କେତେକ ବ୍ଯକ୍ତିଙ୍କ ମତ ଅଟେ।
  • ସଂ — ଆଜି ଯେଉଁ କରଣୀ ଲେଖା, କଚିରିଆ ଲେଖା 'ଅଶୁଦ୍ଧ' ବୋଲି ଶବ୍ଦକୋଷମାନଙ୍କରେ ସ୍ଥାନ ପାଇଁ ନାହିଁ, ଶତାବ୍ଦୀ ପରେ ସେ ସବୁ ପ୍ରତ୍ନତତ୍ତ୍ୱବିଦ୍ମାନଙ୍କ ହାବୁଡ଼େ ପଡ଼ିଲେ ସେମାନେ ଉକ୍ତ ଶବ୍ଦାବଳୀର ଅର୍ଥ କାଢ଼ିବାକୁ ବାଧ୍ୟ ହେବେ। ଯାହା ଭାଷାରେ ଓ ବ୍ଯବହାରରେ ଚଳୁଅଛି ଓ ପୂର୍ବରୁ ଚଳି ଆସିଅଛି, ତାକୁ ଶବ୍ଦକୋଷର ସୀମାରୁ ତଡ଼ି ଦେବା ଯୁକ୍ତିଯୁକ୍ତ ବୋଧ ହେଉ ନାହିଁ। ଉତ୍କଳର ପ୍ରାଚୀନ କବିମାନଙ୍କ ଲେଖାରେ ଏଥିର ଭୂରି ଭୂରି ପ୍ରମାଣ ରହି ଅଛି। ସେମାନଙ୍କ ମଧ୍ୟରୁ ଅନେକ ସଂସ୍କୃତ ଜାଣୁ ନ ଥିଲେ ବୋଲି ଭୁଲ କରିଥିବେ; କିନ୍ତୁ ସେମାନେ ଉକ୍ତ 'ଅଶୁଦ୍ଧ' ଶବ୍ଦମାନଙ୍କୁ 'ଶୁଦ୍ଧ' ସଂସ୍କୃତମୂଳକ ଶବ୍ଦମାନଙ୍କ ଅର୍ଥରେ ଯେ ବ୍ଯବହାର କରିଅଛନ୍ତି, ଏ ବିଷୟ ମନା କରିବାର 'ଜୁ' ନାହିଁ।
  • ସଂ — ଶ୍ରୀଯୁକ୍ତ ବିଜୟଚନ୍ଦ୍ର ମଜୁମଦାର "ଓଡ଼ିଆ ସାହିତ୍ୟ ପରିଚୟ" ନାମକ ତିନି ଖଣ୍ଡ ଗ୍ରନ୍ଥରେ ଯେଉଁ ଯେଉଁ ଗଦ୍ୟ ଓ ପଦ୍ୟମାନି ଉଦ୍ଧାର କରିଅଛନ୍ତି ଓ ଅଧ୍ୟାପକ ରାୟସାହେବ ଆର୍ତ୍ତବଲ୍ଲଭ ମହାନ୍ତି ଯେଉଁ କେତେଖଣ୍ଡି ଗ୍ରନ୍ଥ ପ୍ରକାଶ କରି ଅଛନ୍ତି, ସେଥିରେ ଓ ଓଡ଼ିଆର ପ୍ରାଚୀନ ଚଉତିଶା— ମାନଙ୍କରେ ମଧ୍ୟ ଏଥିର ଭୂରି ଭୂରି ପ୍ରମାଣ ମିଳେ। ଏଠାରେ କେବଳମାତ୍ର ଗୋଟିକେତେ ଉଦାହରଣ ଦେଲେ ଯଥେଷ୍ଟ ହେବ।
  • ସଂ — ଇତ୍ୟାଦି।]