ଶୁକ୍ର ବାର Ṡukra bāra
- ସଂ. ବି — ଶନିବାରର ପୂର୍ବ ଓ ଗୁରୁବାରର ପର ଦିବସ — Friday
- ସଂ. ବି — [ଦ୍ର—ହିନ୍ଦୁମାନଙ୍କ ମତରେ ରାଜ— ଦର୍ଶନ, ଧାନ୍ୟ ଚ୍ଛେଦନ, ଧାନ୍ୟସ୍ଥାପନ, ନବ— ବସ୍ତ୍ରାଳଙ୍କାରଧାରଣାଦି କେତେକ କର୍ମ ପାଇଁ ଏ ଦିନ ପ୍ରଶସ୍ତ। ମୁସଲମାନଙ୍କର ଏହି ଦିବସ ସପ୍ତାହର ପବିତ୍ରତମ ଦିବସ ଓ ଏ ଦିନ ମୁସଲ୍ମାନମାନେ ମସ୍ଜିଦରେ ସମବେତ ହୋଇ ନମାଜ ବା ପ୍ରାର୍ଥନା ପଢ଼ନ୍ତି। ଫାରସୀରେ ଶୁକ୍ରବାରକୁ 'ଜୁମା' ବୋଲାଯାଏ। ମାର୍ଚ୍ଚ ବା ଅପ୍ରେଲ ମାସର ଗୋଟିଏ ଶୁକ୍ରବାର ଖ୍ରୀଷ୍ଟିୟାନମାନଙ୍କର ଗୋଟିଏ ପର୍ବ ଦିବସ (ଗୁଡ଼୍ଫ୍ରାଇଡେ)। ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ଦିନ କ୍ରୁସବିଦ୍ଧ ହୋଇଥିଲେ।
- ସଂ. ବି — ଶୁକ୍ରବାର ଦିନ ଉତ୍କଳରେ କୃଷକ କ୍ଷେତ୍ରରୁ ପ୍ରଥମେ କଟା ହୋଇଥିବା ଧାନ ବିଡ଼ା (ଶୁକ୍ରବାର ବିଡ଼ି) କୁ ସାଇତି ରଖି ତହିଁର ଚାଉଳରେ ଲକ୍ଷ୍ମୀ ପୂଜା କରେ। ଆଦରର ଓ ସ୍ନେହର ପାତ୍ରକୁ ସାଧାରଣ ଲୋକେ କହନ୍ତି "ସେ ପରା ମୋ ଶୁକ୍ରବାର ବିଡ଼ି"। ଶୁକ୍ରବାର ଦିନ ବାଳିକା ପ୍ରଥମରେ ରାଜସ୍ୱଳା ହେଲେ ପୁତ୍ରବତୀ ହୁଏ। ଶୁକ୍ରବାରରେ ପଶ୍ଚିମରେ ଦିକ୍ ଶୂଳ। ସେଥି ପାଇଁ ପଶ୍ଚିମକୁ ଯାତ୍ରା କରିବା ନିଷିଦ୍ଧ। ଶୁକ୍ରବାର ଦିନ ଦିବା ଛଅଘଡ଼ିଠାରୁ ଆଠଘଡ଼ି ପର୍ଯ୍ୟନ୍ତ ବାରବେଳା ଥିବାରୁ ସେ ସମୟରେ ମଧ୍ୟ ଯାତ୍ରା ଓ ଶୁଭକର୍ମ ନିଷିଦ୍ଧ।]