ମୁଚକୁନ୍ଦ Muchakunda
- ସଂ. ବି — ବନ୍ଧୁକାଦି ବର୍ଗର ଏକ ପ୍ରକାର ବଡ଼ ଗଛ — Pterospermum Acerefolium, Suberifolim or Salicifolium
- ସଂ. ବି — [ଦ୍ର—ଏହା ବନ୍ଧୁକାଦି ବର୍ଗର ଏକ ପ୍ରକାର ବଡ଼ ଗଛ; ଏହାର ସୁଗନ୍ଧଯୁକ୍ତ ଫୁଲ ଦେଖିବାକୁ ଭେଣ୍ଡିପରି ଲମ୍ବା। ଫୁଲର ପାଞ୍ଚ ପାଖୁଡ଼ା ଓ ପାଖୁଡ଼ା ଗୁଡ଼ିକ ଖୁବ ମୋଟା। ପାଖୁଡ଼ାର ବାହାର ପାଖ ମଖମଲ ପରି ସୂକ୍ଷ୍ମ ଲୋମ ବିଶିଷ୍ଟ ଓ ହଳଦିଆ। ପାଖୁଡ଼ାର ଭିତର ପାଖ ଛତୁ ପରି ଧଳା। ଫୁଲର ବାସନା ତୀବ୍ର ସୁଗନ୍ଧଯୁକ୍ତ ଓ ଉଗ୍ର। ଏହି ଫୁଲର ଶୁଖିଲା ପାଖୁଡ଼ାକୁ ସିଝାଇଲେ ସେ ପାଣି ପେଟମରା ରୋଗରେ ଔଷଧ ରୂପେ ବ୍ଯବହୃତ ହୁଏ। ଏ ଗଛର ପତ୍ର ବଡ଼ ବଡ଼ ଓ ଲୋମଶ ଏବଂ ଏଥିର ଫଳ ପଣସ କଠା ପରି ଲମ୍ବା ଓ ଟାଣୁଆ। ଚଉଡ଼ା ପତ୍ରର ମଝିରେ ଡେମ୍ଫ ଥାଏ। ଏ କାଠର ମଞ୍ଜି ନାଲି। ଏହାକୁ କେହି କେହି ଭ୍ରମରେ କନକ ଚମ୍ପା ବୋଲି କହି ଥାଆନ୍ତି; ଏଥିର ଫୁଲ ଓ ଛାଲ ଔଷଧରେ ଲାଗେ। ବୈଦ୍ୟକ ମତରେ ଏହା ଗରମ, କଟୁ, ସ୍ୱର ମଧୁରକାରୀ ଏବଂ କଫ, କାସ, ଚର୍ମରୋଗ. କଣ୍ଡୁ, ଶିରୋବ୍ଯଥା, ଓ ତ୍ରିକୋଷ ଓ ରକ୍ତ ପିତ୍ତ ବିକାର ନାଶକ।]
- ସଂ. ବି — ମୁନିବିଶେଷ — Name of a sage
- ସଂ. ବି — ଦୈତ୍ୟ ବିଶେଷ — Name of demon
- ସଂ. ବି — ମହାରାଜ ମାନ୍ଧାତାଙ୍କ ପୁତ୍ର — Name of the son of king Māndhātā
- ସଂ. ବି — [ଦ୍ର—ଏ ଜଣେ ଅସାମାନ୍ୟ ବୀର ଥିଲେ। ଦେବାସୁର ଯୁଦ୍ଧ ସମୟରେ ଦେବତାମାନେ ପ୍ରୀତ ହୋଇ ଏହାଙ୍କୁ ବର ଯାଚିବାରେ ଏ କହିଲେ "ମୁଁ ଯୁଦ୍ଧରେ ଅତିଶ୍ରୟ କ୍ଲାନ୍ତ ହୋଇଥିବାରୁ କାନ୍ତି ନିବାରଣାର୍ଥ ଶୋଇବି। ଯେ ମୋ ନିଦ୍ରାଭଙ୍ଗ କରିବ ସେ ଭସ୍ମୀଭୂତ ହେବ' ମୋତେ ଏହି ବର ମିଳୁ"। ଦେବତାମାନେ ତାଙ୍କୁ ସେହି ବର ଦେଲେ। ଏହି ବର ପାଇ ଏ ଗୋଟିଏ ପର୍ବତ ଗୁହାରେ ଶୋଇଲେ; ବହୁ ଯୁଗ ଅତୀତ ହୋଇଗଲା ପରେ ଶ୍ରୀକୃଷ୍ଣ କାଳଯବନକୁ ବିନାଶ କରିବା ଅଭିପ୍ରାୟରେ ସୁକୌଶଳ କରି ତାକୁ ମୁଚୁକୁନ୍ଦ ଶୋଇଥିବା ଗୁହାକୁ ନେଇ କାଳଯବନ ଦ୍ୱାରା ତାହାଙ୍କର ନିଦ୍ରା ଭଙ୍ଗାଇଲେ ଓ ମୁଚକୁନ୍ଦ ନିଦ୍ରାରୁ ଉଠି କାଳଯବନକୁ ଦେଖିବାରୁ କାଳଯବନ ଭସ୍ମୀଭୂତ ହୋଇଗଲା। ମୁଚକୁନ୍ଦ ନିଦ୍ରାରୁ ଉଠି ଦେଖିଲେ ଯେ ଯୁଗପରିବର୍ତ୍ତନ ସଙ୍ଗେ ସଙ୍ଗେ ତାଙ୍କ ରାଜ୍ୟ ଓ ପରିବାରବର୍ଗଙ୍କର ଚିହ୍ନମାତ୍ର ନାହିଁ। ଏହା ଦେଖି ଦୁଃଖରେ ସେ ତପସ୍ୟାର୍ଥ ହିମାଳୟକୁ ଗମନ କରି ସେଠାରେ ଯୋଗାବଲମ୍ବନପୂର୍ବକ ତନୁତ୍ୟାଗ କଲେ।]