ମାଛ Māchha

  • ଦେ. ବି (ସଂ. ମତ୍ସ୍ୟ; ପ୍ରା. ମଚ୍ଛ; ପାଲି. ମାଛ) — ମୀନ ମତ୍ସ୍ୟ; ଖାଦ୍ୟରୂପେ ବ୍ଯବହୃତ ଜଳଜନ୍ତୁବିଶେଷ। — Fish
  • ଦେ. ବି (ସଂ. ମତ୍ସ୍ୟ; ପ୍ରା. ମଚ୍ଛ; ପାଲି. ମାଛ) — [ଦ୍ର—ମାଛମାନେ ବାସସ୍ଥାନ ଭେଦରେ ଓ କାତି ଥିବା ନ ଥିବା ଭେଦରେ ନାନାପ୍ରକାର ସମୁଦ୍ରରେ ଥିବା ମାଛମାନଙ୍କୁ ସାମୁଦ୍ରିକ ବା ଲୁଣିମାଛ ଓ ନଦୀ ପୁଷ୍କରିଣୀ ଆଦି ମିଷ୍ଟ ଜଳରେ ଥିବା ମାଛମାନଙ୍କୁ 'ମଧୁର ମାଛ' ବୋଲାଯାଏ। ଶଳ୍କଯୁକ୍ତ ମାଛମାନଙ୍କୁ କାତି ମାଛ ଏବଂ ଅଶନ୍ନ ମାଛମାନଙ୍କୁ ଅକାତିଆ ମାଛ ବୋଲାଯାଏ। ପାଶ୍ଚାତ୍ୟମାନେ ଅନେକ ପ୍ରକାରର ସାମୁଦ୍ରିକ ଓ ମିଷ୍ଟ— ଜଳବାସୀ ମାଛମାନଙ୍କର ଶ୍ରେଣୀବିଭାଗ କରି ନାମ ଦେଇଅଛନ୍ତି, କିନ୍ତୁ ଆମ୍ଭମାନଙ୍କ ଭାଷାରେ ନାମ ବେଶି ନାହିଁ।
  • ଦେ. ବି (ସଂ. ମତ୍ସ୍ୟ; ପ୍ରା. ମଚ୍ଛ; ପାଲି. ମାଛ) — କେତେକ ଲୁଣି ମାଛଙ୍କର ନାମ ଯଥା—ଲୁଣି ଚିଙ୍ଗୁଡ଼ି, ବିଛାବ(ମା)ଳିଆ ଚିଙ୍ଗୁଡ଼ି, ଖଙ୍ଗା, ଇଲିସି, ଡାହାଙ୍ଗୀରି ଭେକଟା, ସାହାଳ, ଖୁରାଣ୍ଟି, କବରା, ଘାଇଚାନ୍ଦି, ଟଙ୍କାଚାନ୍ଦି, କୋକଲି, ଶାଙ୍କୁଚ, ଖଣ୍ଡାମଗର, ମୁଣ୍ଡାମଗର, ତିମୀ, ଗୋଜିକଡ଼ମା, ଫିରିକ, ବାହାଲ, ଗୋଛିଆ ଇତ୍ୟାଦି।
  • ଦେ. ବି (ସଂ. ମତ୍ସ୍ୟ; ପ୍ରା. ମଚ୍ଛ; ପାଲି. ମାଛ) — କେତେକ ମଧୁର ମାଛମାନଙ୍କର ନାମ ଯଥା—ଭାକୁଡ଼ ତିକଳ, ରୋହୀ, ମିରିକାଳୀ, କଳାବାଇଁସୀ, ବାଳିଆ, ଶେଉଳ, ଜଳଙ୍ଗ, ଫଳି, ଶାଳ, ଆଡ଼ି, ଗଡିଶା, ପୋହଳା ଏଣ୍ଡଳା, ଛେଲାକେରାଣ୍ଡି, କଉ, ରତା, ମାଗୁର, ଶିଙ୍ଗି, ବାଉଁଶପତୁରିଆ, ହାଣ୍ଡିଭଙ୍ଗା, ତୋଡ଼ି, ଗଣିଆତୋଡ଼ି, ବାଲିଗରଡ଼ା, ଜିମିଖାଡ଼ୀ, ବମି, ଚି(ଚୁ)ଙ୍ଗୁଡ଼ି, ବାଇଝାଲୀ, ଶିଙ୍ଗିଟାଳୀ, ବୋଦସୀ, ଲାଉଆଶିଙ୍ଘି, ଶେରଣା, କୋଚିଆ, ବମୀ, ଦଣ୍ଡକିରୀ, ମହୁରାଡ଼ି(ଳି), କେରାଣ୍ଡି ଇତ୍ୟାଦି।
  • ଦେ. ବି (ସଂ. ମତ୍ସ୍ୟ; ପ୍ରା. ମଚ୍ଛ; ପାଲି. ମାଛ) — ଯେଉଁ ମାଛମାନେ ପଙ୍କଯୁକ୍ତ ପାଣିରେ ରହନ୍ତି ସେମାନଙ୍କୁ ପଙ୍କୁଆ ମାଛ ବୋଲାଯାଏ। ଯଥା—କଉ, ଗଡ଼ିଶା, ଶେଉଳ, ରତା, ମାଗୁର, ତୋଡୀ, ଶାଳ, ବମୀ ଇତ୍ୟାଦି।
  • ଦେ. ବି (ସଂ. ମତ୍ସ୍ୟ; ପ୍ରା. ମଚ୍ଛ; ପାଲି. ମାଛ) — ଅତି ଛୋଟ ମାଛ ମାନଙ୍କୁ ମୀନ ମାଛ ବା ଚୂନା ମାଛ କୁହାଯାଏ। ଯଥା—ଦଣ୍ଡକିରୀ, ମହୁରାଡ଼ି, କେରାଣ୍ଡୀ, ପୋଇଚିଙ୍ଗୁଡ଼ି, ବାଇଝାଲୀ, ଜିମିଖାଡ଼ୀ ଇତ୍ୟାଦି।
  • ଦେ. ବି (ସଂ. ମତ୍ସ୍ୟ; ପ୍ରା. ମଚ୍ଛ; ପାଲି. ମାଛ) — ଚିଙ୍ଗୁଡ଼ି ଛଡା ଅନ୍ଯ ଛୋଟ ମାଛମାନଙ୍କୁ ମାଈ ମାଛ କୁହାଯାଏ। ଦଳପୂର୍ଣ୍ଣ ଜଳାଶୟରେ (ଅର୍ଥାତ୍ ଯେଉଁ ପୋଖରୀ ଆଦିର ପାଣିରେ ପବନ ବାଜେ ନାହିଁ) ଥିବା ମାଛମାନଙ୍କୁ ଦଳୁଆ ମାଛ କହନ୍ତି। ଏମାନଙ୍କର ସ୍ୱାଦ ଭଲ ନୁହେଁ। ମାଛ ପରି ଦେଖାଯାଉଥିବା ଅଥଚ ଅଖାଦ୍ୟ ମାଛଙ୍କୁ ଅମଛା ବୋଲାଯାଏ।
  • ଦେ. ବି (ସଂ. ମତ୍ସ୍ୟ; ପ୍ରା. ମଚ୍ଛ; ପାଲି. ମାଛ) — ବର୍ଷାଦିନରେ ନଦୀ ପୋଖରୀରୁ ଉଠି ଆସି ଜଳ ପୂର୍ଣ୍ଣ ଧାନ୍ୟ କ୍ଷେତ୍ରରେ ଯେଉଁ ଛୋଟ ମାଛମାନେ ରହନ୍ତି ଓ ଶରତ୍ କାଳରେ ଚାରିଆଡ଼ୁ ପାଣି ଶୁଖିଗଲେ ବିଲରେ ରହିଯାଇ ଭୋଦୁଆ ମାସରେ ଖରାର ଉତ୍ତାପରେ ବିଲରେ ମରିଯାଆନ୍ତି ତାଙ୍କୁ କଣମଛା ବୋଲାଯାଏ। ଖରାଦିନରେ ଜଳାଶୟର ଜଳ ଗରମ ହୋଇଗଲେ କିମ୍ବା ଜଳ ବିଷାକ୍ତ ହେଲେ ମାଛମାନେ ମରି ଯାଇ ପାଣି ଉପରେ ଭାସିବାକୁ 'ମାଛ ବଉଳିବା' ବୋଲାଯାଏ। ଏହି କାରଣରୁ ବଡ଼— ମାଛମାନେ ପାଣି ଉପରକୁ ଭାସି ଉଠି ଦରମରା ହୋଇ ଚିତି ହୋଇ ପହଁରିଲେ 'ମାଛଙ୍କୁ ଲାହିଆ ମାରିଲା' ବୋଲି କହନ୍ତି।
  • ଦେ. ବି (ସଂ. ମତ୍ସ୍ୟ; ପ୍ରା. ମଚ୍ଛ; ପାଲି. ମାଛ) — ବଡ଼ ବଡ଼ ମାଛଙ୍କ ଅନ୍ତକୁ ନିଆଁରେ ଗରମ କରି ତହିଁରୁ ମାଛ ଚର୍ବୀ ବା ମାଛ ତେଲ ବାହାର କରାଯାଏ। ସେ ତେଲ ଦୀପରେ ଜଳେ, ଔଷଧରେ ଲାଗେ। ତିମି ମାଛଙ୍କ ଚର୍ବିରୁ ମହମବତୀ ତିଆରି ହୁଏ। କଡ଼୍ ନାମକ ମାଛର ଅନ୍ତରୁ ଶ୍ୱାସ, କାସ, ଦୁର୍ବଳତାର ନିବାରକ ତୈଳ ତିଆରି ହୁଏ।
  • ଦେ. ବି (ସଂ. ମତ୍ସ୍ୟ; ପ୍ରା. ମଚ୍ଛ; ପାଲି. ମାଛ) — ମାଛମାନେ ଅଣ୍ଡଜ। ସେମାନଙ୍କ ପେଟ ମଧ୍ୟରେ ଅଣ୍ଡା ବା ମଞ୍ଜିମାନ ଦୁଇଟି ନୋଳା ବା ନଳାକୃତି ହୋଇ ରହିଥାଏ। ବର୍ଷାର ପ୍ରାରମ୍ଭରେ ବର୍ଷାଜନିତ ଜଳସ୍ରୋତରେ ଗର୍ଭିଣୀ ମାଛମାନେ ସ୍ରୋତ ବିରୁଦ୍ଧରେ ଖୁବ୍ ଜୋରରେ ଗତି କରିବା ସମୟରେ ସେ ଡିମ୍ବଗୁଡିକ ତାଙ୍କ ପେଟରୁ ବାହାରି ପଡ଼େ ଓ ସେହି ଡିମ୍ବଗୁଡ଼ିକ ଅଣ୍ଡିରା ମାଛମାନଙ୍କ ବୀର୍ଯ୍ୟ ସଙ୍ଗେ ମିଶି ତହିଁରୁ କେତେ ସମୟ ପରେ ମାଛ ଛୁଆ ବାହାରନ୍ତି। ଏ ମାଛ ଛୁଆମାନଙ୍କୁ ଜାଆଁଳ ବୋଲାଯାଏ। ନଈବଢ଼ିରେ ଭାସି ଆସୁଥିବା ଫେଣରେ ମାଛ ଜାଆଁଳମାନେ ଆଶ୍ରୟ ନେଇ ଥାଆନ୍ତି। ଲୋକେ ସେହି ଫେଣମାନ ସଂଗ୍ରହ କରି ସେଥିରୁ ଜାଆଁଳ ଧରି ପୋଖରୀରେ ଉକ୍ତ ଜାଆଁଳମାନଙ୍କୁ ଛାଡ଼ନ୍ତି ଓ କାଳକ୍ରମେ ସେହି ଜାଆଁଳମାନେ ବଢ଼ି ବଡ଼ ମାଛ ହୁଅନ୍ତି। ମାଛ ଥିବା ଜଳାଶୟ ମାନଙ୍କୁ ଅନ୍ୟସ୍ଥାନରୁ ଜଳ— ସ୍ରୋତ ଦ୍ୱାରା ଜଳ ଆସିଲେ ମାଛମାନେ ସେହି ଜଳାଶୟରୁ ସ୍ରୋତର ବିପରୀତ ଦିଗରେ ଗତିକରନ୍ତି ବା ଉଠନ୍ତି, ତାହାଙ୍କୁ ଉଠାମାଛ କହନ୍ତି। ଜାଆଁଳ ବା ଛୋଟ ମାଛର ଦଳକୁ 'ମନ୍ଦା' କହନ୍ତି ଓ ବଡ଼ ମାଛର ଦଳକୁ 'ସାହାଣ' ବୋଲାଯାଏ। ନାନା ବର୍ଣ୍ଣର, ନାନା ଆକାରର ଓ ନାନା ଶ୍ରେଣୀର ସାମୁଦ୍ରିକ ମାଛ ଅଛନ୍ତି।
  • ଦେ. ବି (ସଂ. ମତ୍ସ୍ୟ; ପ୍ରା. ମଚ୍ଛ; ପାଲି. ମାଛ) — ଚି(ଚୁ)ଙ୍ଗୁଡ଼ିମାନଙ୍କୁ ଲୋକତେ ମାଛ ବୋଲି କହନ୍ତି ଓ ଖାଆନ୍ତି, କିନ୍କୁ ପ୍ରକୃତରେ ଏମାନେ ମାଛ ଶ୍ରେଣୀର ନୁହନ୍ତି; ଏକପ୍ରକାର ଜଳଜ ପୋକ। ଚିଙ୍ଗୁଡ଼ି ମାଛଙ୍କ ମଞ୍ଜି ସେମାନଙ୍କ ପେଟ ମଧ୍ୟରେ ନ ଥାଏ; ତାହା ସେମାନଙ୍କ ପେଟତଳେ ଛୋଟ ଗୋଡ଼ମାନଙ୍କ ସନ୍ଧିରେ ଲାଖି ରହିଥାଏ। ଯେଉଁ ମାଛଙ୍କ ଦେହରେ ବେଶି କଣ୍ଟା ଥାଏ ସେମାନଙ୍କୁ 'କଣ୍ଟାମାଛ' ଓ ଯାହାଙ୍କ ଦେହରେ କଣ୍ଟା ଅଳ୍ପ ଥାଏ ସେମାନଙ୍କୁ ଅକଣ୍ଟା ମାଛ କହନ୍ତି। ଯେଉଁ ମାନଙ୍କ ଦେହରେ କାତି ଥାଏ ତାଙ୍କୁ କାତିଆ ମାଛ ବୋଲାଯାଏ ଓ କାତି ନ ଥିବା ମାଛଙ୍କୁ ଅକାତିଆ ମାଛ ବୋଲାଯାଏ। ସମୁଦ୍ରରୁ ଓ ଜଳାଶୟରୁ ଖାଦ୍ୟ ନିମିତ୍ତ ମାଛ ଧରିବା ପାଇଁ ମନୁଷ୍ୟ ନାନାପ୍ରକାର ଯନ୍ତ୍ର ଓ ଅସ୍ତ୍ର ବ୍ଯବହାର କରେ। ଯଥା— ତେଣ୍ଟା, ବନିସି, ନାନାପ୍ରକାର ଜାଲ, ପୋଲୁହ, ଜାଲ ପୋଲୁହ, ଖେପିଜାଲ, ଖଇଞ୍ଚି, ବଜା, ମୁଗୁରା ଇତ୍ୟାଦି।
  • ଦେ. ବି (ସଂ. ମତ୍ସ୍ୟ; ପ୍ରା. ମଚ୍ଛ; ପାଲି. ମାଛ) — ମାଛ ଓ ମାଛ ମଞ୍ଜି ଦ୍ୱାରା ଲୋକେ ନାନାପ୍ରକାରର ଖାଦ୍ୟ ଓ ବ୍ୟଞ୍ଜନାଦି ପ୍ରସ୍ତୁତ କରନ୍ତି। ଯଥା—ପଲଉ, ତିଅଣ, ମହୁର, ବେଶର, ଆମ୍ବିଳ, ଭଜା, ବରା, ପୋଡ଼ା, ସିନ୍ତୋଳା, କାଲିଆ ଇତ୍ୟାଦି।