ବଶିଷ୍ଠ Baṡishṭha
- ସଂ. ବି—(ବଶିନ୍ = ଯେ ବଶ କରେ+ଅତିଶୟାର୍ଥେ. ଇଷ୍ଠ) — ବ୍ରହ୍ମାଙ୍କ ମାନସ ପୁତ୍ର; ଋଗ୍ ବେଦର ବହୁସୂକ୍ତ ରଚିୟତା ମୁନି ବିଶେଷ; ଇକ୍ଷ୍ୱାକୁ ବା ସୂର୍ଯ୍ୟ ବଂଶର କୁଳଗୁରୁ ବା ପୁରୋହିତ — Name of a sage, the family priest of Rāmachandra
- ସଂ. ବି—(ବଶିନ୍ = ଯେ ବଶ କରେ+ଅତିଶୟାର୍ଥେ. ଇଷ୍ଠ) — [ଦ୍ର—ବେଦରେ ବିଶିଷ୍ଟ ମିତ୍ରାବରୁଣଙ୍କ ପୁତ୍ର ଥିବାର ବର୍ଣ୍ଣିତ ହେଇଅଛି। ଥରେ ଯଜ୍ଞ ସ୍ଥଳରେ ଉର୍ବଶୀଙ୍କୁ ଦେଖି ମିତ୍ରା— ବରୁଣ ଉଭୟଙ୍କର ରେତଃପାତ ହେଲା। ଉକ୍ତ ରେତଃ ଯଜ୍ଞ କୁମ୍ଭରେ ରଖା ଗଲା। ସେଥିରୁ ବଶିଷ୍ଟ ଓ ଅଗସ୍ତ୍ୟ ଜାତ ହେଲେ। ଋଗ୍ବେଦରେ ବଶିଷ୍ଟ ଗାନ୍ଧାରରାଜ ଦିବୋଦସଙ୍କ ପୌତ୍ର ଥିବାର ଉକ୍ତ ହୋଇଅଛି। ପୁରାଣମାନଙ୍କରେ ବଶିଷ୍ଟ ବ୍ରହ୍ମାଙ୍କ ମାନସ ପୁତ୍ର ଥିବାର ବର୍ଣ୍ଣିତ ହୋଇଅଛି। ବଶିଷ୍ଟ ଓ ରାଜା ନିମିଙ୍କ ମଧ୍ୟରେ ଥରେ କଳି ହେବାରୁ, ଉଭୟେ ଉଭୟଙ୍କୁ ଶାପ ଦେଲେ। ସେହି ଶାପ— ଫଳରେ ବଶିଷ୍ଟ ମିତ୍ରାବରୁଣଙ୍କ ବୀର୍ଯ୍ୟରୁ ପୁଣି ଥରେ ଜନ୍ମଗ୍ରହଣ କଲେ। ବଶିଷ୍ଟଙ୍କ କାମଧେନୁ ଶବଳା ଯୋଗୁଁ ବିଶ୍ୱାମିତ୍ରଙ୍କ (ଯେ ପ୍ରଥମେ ଜଣେ ରାଜା ଥିଲେ ତାଙ୍କ)ର ଓ ବଶିଷ୍ଟଙ୍କର କଳି ହେଲା। ବିଶ୍ୱାମିତ୍ରଙ୍କ ଶତ ପୁତ୍ର, ବଶିଷ୍ଟ ହୁଙ୍କାରଦ୍ୱାରା ଜଳାଇ ଦେଲେ। ବିଶ୍ୱାମିତ୍ର ହାରିଯାଇ ବ୍ରାହ୍ମଣତ୍ୱ ପାଇବା ପାଇଁ ତପସ୍ୟା କଲେ। ବଶିଷ୍ଟଙ୍କର ଅନେକ ପତ୍ନୀ ଥିଲେ। କିନ୍ତୁ କର୍ଦ୍ଦମ ଋଷିଙ୍କ କନ୍ୟା ଅରୁନ୍ଧତୀ ତାଙ୍କର ପ୍ରିୟତାମା ଥିଲେ। ଅକ୍ଷମାଳା ନାମରେ ତାଙ୍କର ଆଉ ଏକ ସ୍ତ୍ରୀ ଥିଲେ। ଋଗ୍ବେଦରେ ସେ ଅନେକ ମନ୍ତ୍ରର ସ୍ରଷ୍ଟା ଅଟନ୍ତି। ବଶିଷ୍ଟଙ୍କର ଶତପୁତ୍ର ଥିଲେ। ସପ୍ତର୍ଷି ମଣ୍ଡଳର ଲାଞ୍ଜ ତାରାତ୍ରୟଙ୍କ ମଧ୍ୟରୁ ବଶିଷ୍ଟ ଏକତମ (ନକ୍ଷତ୍ର ତଳେ ନୋଟ୍ ଦେଖ)। ଗୋଟିଏ ହିନ୍ଦୁସ୍ମୃତ୍ତି ବଶିଷ୍ଟ ସଂହିତା ବଶିଷ୍ଟଙ୍କ ସଙ୍କଳିତ ଥିବାର କଥିତ। ଗୋଟିଏ ଜ୍ୟୋତିଷ ଗ୍ରନ୍ଥ (ବଶିଷ୍ଟ ସିଦ୍ଧାନ୍ତ) ମଧ୍ୟ ତାଙ୍କ ରଚିତ ଥିବାର କଥିତ। ହି. ଶ.]
- ଦେ. ବି — ପ୍ରଧାନ ବ୍ୟକ୍ତି — Promient person
- ଦେ. ବି — ବଶିଷ୍ଟେ ଯେତେ ସ୍ଥିତି ସେ ହେଲେ ଦିଗଦନ୍ତୀ ତମ ମୟରେ ଲୁଚି ଜ୍ୟୋତି ସେ। ଭଞ୍ଜ, ବୈଦେହୀଶବିଳାସ.
- ବିଣ — ଉପବିଷ୍ଟ — Seated
- ବିଣ — ବଶିଷ୍ଟ କୁମ୍ଭନହିଁ ବଶିଷ୍ଟ କୁମ୍ଭ ଯହିଁ ସାତ କୁମ୍ଭରେ ଢାଳେ ଜଳ ସେ। ଭଞ୍ଜ, ବୈଦେହୀଶବିଳାସ।