ଢିଙ୍କି କୁଟିବା Ḍiṅki kuṭibā
- ଦେ. କ୍ରି — ଗୋଡ଼ ସାହାଯ୍ୟରେ ଢିଙ୍କିକୁ ଭରାଣ୍ଡି ଭିତରୁ ଉପରକୁ ଉଠାଇ ପୁଣି ସେଥିରେ ପକାଇବା — To set a 'Ḍheṅki'going with the foot
- ଦେ. କ୍ରି — [ଦ୍ର—ଜଣେ ବା ଦୁଇ ଜଣ ଲୋକ ଢିଙ୍କିଲାଞ୍ଜି ପାଖରେ ଠିଆ ହୋଇ ଗୋଟିଏ ପାଦ ତଳେ ରଖି ଆଉ ଗୋଟିଏ ପାଦ ଲାଞ୍ଜ ଉପରେ ରଖି ପାଦର ଭରାଦ୍ୱାରା ଲାଞ୍ଜକୁ ତଳ ଆଡ଼କୁ ମାଡ଼ିଲେ ଢିଙ୍କିର ମୁଣ୍ଡରେ ଥିବା ମୁଷଳ ଉପରକୁ ଉଠିଯାଏ ଓ ପାଦକୁ ଛାଡ଼ି ଦେଲେ ଢିଙ୍କି ଭରାଣ୍ଡି ଗାତରେ ମୁଷଳଟି ଦୁଲ୍କିନି ପଡ଼ି ଯାଏ। ଏହିପରି ଉପର୍ଯ୍ୟୁପରି ପାଦଭରା ଦ୍ୱାରା ମୁଷଳକୁ ଉଠାଇବା ଓ ପକାଇବାକୁ କୁଟିବା ବୋଲାଯାଏ। ଢିଙ୍କି କୁଟାଳୀମାନେ ଗୋଟିଏ ଗୋଡ଼ରେ ତଳେ ଠିଆ ହୋଇ ଅନ୍ଯ ଗୋଡ଼ରେ ଢିଙ୍କି କୁଟିବା ଯୋଗୁଁ ସେମାନଙ୍କର କୌଣସି ଆଶ୍ରୟ ବା ଭରା ଲୋଡ଼ା ହୁଏ। ଏଥିପାଇଁ ଚାଳରୁ ଓହଳି ଥିବା ଖଣ୍ଡେ ଦଉଡ଼ିକୁ ଧରି କିମ୍ବା ଢିଙ୍କିର ପକ୍ଷୀ ଥିବା ସ୍ଥାନର ଦୁଇପାଖରେ ଦୁଇଖଣ୍ଡ ବଡ଼ ଖୁଣ୍ଟ ପୋତାଯାଇ ମନୁଷ୍ୟର ଛାତି ଉଚ୍ଚରେ ଖଣ୍ଡେ ଆଡ଼ ଧାରଣା ପଡ଼ିଥାଏ। ସେହି ଆଡ଼ ଧାରଣାକୁ ଆଶ୍ରା କରି କୁଟାଳୀ ଧାନ କୁଟନ୍ତି।
- ଦେ. କ୍ରି — ଧାନର ଚାଉଳ ବାହାର କରିବାକୁ ହେଲେ ଢିଙ୍କିକୁ ଆସ୍ତେ ଆସ୍ତେ କୁଟିବାକୁ ହୁଏ। ଚାଉଳ ଆଦିକୁ ଗୁଣ୍ଡା କରିବାକୁ ହେଲେ ଢିଙ୍କିକୁ ଦୁମ୍ ଦୁମ୍ କରି କୁଟିବାକୁ ହୁଏ। ରଗଡ଼ା ମୁଗକୁ କାଣ୍ଡିବାକୁ ହେଲେ ଢିଙ୍କି ପାହାର ଅଗରେ ପୁଳାଏ କୁଟା ଗୁଡ଼ାଇବାକୁ ହୁଏ ତାହାହେଲେ ଡାଲିଗୁଡ଼ିକ ଗୁଣ୍ଡା ହୋଇଯାଏ ନାହିଁ।
- ଦେ. କ୍ରି — ଢିଙ୍କି କୁଟିବାର ଶବ୍ଦ ଦୁଲ୍ ଦୁଲ୍ ବା ଦୁମ୍ ଦୁମ୍। ଏ ଶବ୍ଦରେ ଘର, ଦ୍ୱାରା, ସାହି ଓ ଗ୍ରାମ ଦୁଲକି ଉଠେ। ଏଥି ସଙ୍ଗେ ସମୟ ସମୟରେ ଢିଙ୍କିର ପକ୍ଷୀ ଢିଙ୍କିଖୁଣ୍ଟର କନାରେ ଘଷିହୋଇ କେଁ କେଁ କିଣି କିଣି ଶବ୍ଦ ହୁଏ। ବତୁରା ଧାନକୁ ସାମାନ୍ୟ ଉଷାଇଁ ଢିଙ୍କିଦ୍ୱାରା ଚୁଡ଼ା କୁଟାଯାଏ। ରାତି ନ ପାହୁଣୁ କେଉଟୁଣୀମାନେ ଚୁଡ଼ା କୁଟିବା ଆରମ୍ଭ କରନ୍ତି ଓ କେଉଟସାହିର ଅନେକଗୁଡ଼ିଏ ଢିଙ୍କି ପାହାରର ଦୁଲ୍ ଦୁଲ୍ ଶଦ୍ଦ ଗ୍ରାମାନ୍ତରକୁ ମଧ୍ୟ ଶୁଭେ।
- ଦେ. କ୍ରି — ଢିଙ୍କି କୁଟିବା ବିଶେଷ ପରିଶ୍ରମସାଧ୍ୟ କାର୍ଯ୍ୟ। ଜେଲଖାନାରେ ଚୋରମାନଙ୍କୁ ଢିଙ୍କିଦ୍ୱାରା ନଡ଼ିଆ କତାକୁ କୁଟିବା ଭଳି ଶ୍ରମସାଧ୍ୟ କାର୍ଯ୍ୟମାନ ଦିଆଯାଏ। ସାଧାରଣତଃ ସ୍ତ୍ରୀମାନେ ଢିଙ୍କି କୁଟନ୍ତି। ଢିଙ୍କି କୁଟିବା ପୁରୁଷଙ୍କୁ କୁଟାଳୀ ଓ ସ୍ତ୍ରୀମାନଙ୍କୁ କୁଟୁତୁଣୀ ବୋଲାଯାଏ। ଆମ ଦେଶରେ ଗରିବ ସ୍ତ୍ରୀମାନେ ଅନ୍ଯ ଲୋକଙ୍କର ଧାନକୁଟି ଜୀବିକା ନିର୍ବାହ କରନ୍ତି। ଏଥିପାଇଁ ସ୍ତ୍ରୀଲୋକମାନେ କହିବା 'ମୁଁ ଧାନ କୁଟି ପୁଅକୁ ପାଳିବି' ବାକ୍ୟର ଅର୍ଥ ମୁଁ ଅତି ଦୁଃଖରେ ଅର୍ଥାତ୍ ପର ଘରେ ଢିଙ୍କିକୁଟା କାର୍ଯ୍ୟ କରି ମୂଲସ୍ୱରୂପ ଯାହା ପାଇବି ସେଥିରେ ପିଲାକୁ ପୋଷିବି।]