ଚୁଡ଼ା Chuṟḍ̠ā
- ଦେ. ବି (ସଂ. ଚିପିଟ; ଚିପୀଟକ; ପ୍ରା. ଚିବିଡ଼) — ବତୁରା ଧାନକୁ ସାମାନ୍ୟରେ ଭାଜି, କୁଟି ତହିଁରୁ ପ୍ରସ୍ତୁତ କରିବା ପତଳା ଖାଦ୍ୟ — Flattened and parched rice
- ଦେ. ବି (ସଂ. ଚିପିଟ; ଚିପୀଟକ; ପ୍ରା. ଚିବିଡ଼) — [ଦ୍ର—ଧାନକୁ ବତୁରାଇ ସେହି ବତୁରା ଧାନକୁ ଟିକିଏ ଉଷାଇଁ ସଙ୍ଗେସଙ୍ଗେ ଢିଙ୍କିରେ କୁଟିଲେ ଧାନମଧ୍ୟସ୍ଥ ବତୁରା ଚାଉଳ ଚେପଟା ହୋଇଯାଏ; ତତ୍ପରେ ଉକ୍ତ କୁଟା ଧାନକୁ ପାଛୁଡ଼ିଦେଲେ ସେଥିରୁ ଧାନ ଚୋପା (ଚଷୁ) ବାହାରିଯାଇ ଚେପଟା ଚାଉଳ ରହେ; ଏହାକୁ ଚୁଡ଼ା କହନ୍ତି। ଏହାକୁ ପାଣିରେ ବତୁରାଇଲେ ଏହା ନରମ ହୋଇଯାଏ ଓ ଏହାକୁ ନ ସିଝାଇ ବା ନ ରାନ୍ଧି ଖିଆଯାଏ। ସରୁ ଧାନରୁ ସରୁ ଚୁଡ଼ା ହୁଏ, ବଗଡ଼ା ବା ମୋଟା ଧାନରୁ ବଗଡ଼ା ବା ମୋଟ ଚୁଡ଼ା ହୁଏ। ଚୁଡ଼ା କୁଟିବା କେଉଟୁଣୀମାନଙ୍କ ଜାତୀୟ ବ୍ଯବସାୟ। ଯେଉଁମାନେ ଉପବାସ ଓ ବ୍ରତାଦି କରନ୍ତି ସେମାନେ କେଉଟୁଣୀଙ୍କଦ୍ୱାରା ଉଷୁଆଁ ଧାନର ଚୁଡ଼ା (ଉଷୁନା ଚୁଡ଼ା) ନ ଖାଇ ଉଷୁଆ ନ ହୋଇ କେବଳ ବତୁରା ଧାନରୁ ପ୍ରସ୍ତୁତ ଚୁଡ଼ା (ଅରୁଆ ଚୁଡ଼ା) ଖାଆନ୍ତି। କିନ୍ତୁ ଉଷୁନା ଓ ଅରୁଆ ଚୁଡ଼ାର କିଛି ପ୍ରଭେଦ ଆଖିକୁ ଦେଖା ନ ଯିବାରୁ ଚୁଡ଼ା ଉଷୁନା କି ଅରୁଆ ଏ ତଥ୍ୟ ପାଇଁ କେଉଟୁଣୀଙ୍କ ମୁହଁକଥା ଉପରେ ନିର୍ଭର କରାଯାଏ। ଚୁଡ଼ାକୁ ଗୁଡ଼ ଓ ଦହି ସଙ୍ଗେ ଚକଟି କିମ୍ବା ଚୁଡ଼ା— ଘଷା କରି, କିମ୍ବା ଚୁଡ଼ାଭଜା କରି କିମ୍ବା ଖିରି କରି ଖିଆଯାଏ।]
- ପ୍ରାଦେ. (ମେଦିନୀପୁର) ବି. (ସଂ. ଚୁଡ଼ା) ସ୍ତ୍ରୀଲୋକମାନେ ମୁଣ୍ଡରେ ପିନ୍ଧିବା ରୁପା ଚିରୁଣୀ — Silver comblike ornament for the chignon