ଅଭିଜ୍ଞାନଶକୁନ୍ତଳ Abhijn̄ānaṡakuntaḻa

  • ସଂ. ବି. (ନାମ) ବହୁବ୍ରୀହି; [ଅଭିଜ୍ଞାନ=ସ୍ମାରକବସ୍ତୁ+ ଶକୁନ୍ତଳା; ଯେଉଁ ନାଟକରେ ତନ୍ନାମ୍ନୀ ବାଳିକା ଶକୁନ୍ତଳାଙ୍କ ସମ୍ବଦ୍ଧେ ପୂର୍ବସ୍ମୃତିର ଅଭିଜ୍ଞାନ ବା ସ୍ମାରକ ବସ୍ତୁର ବର୍ଣ୍ଣନା ଅଛି।] କାଳିଦାସଙ୍କ ରଚିତ ସଂସ୍କୃତ ନାଟକର ନାମ — Title of a sanscrit drama by poet Kāḻidāsa
  • ସଂ. ବି. (ନାମ) ବହୁବ୍ରୀହି; [ଅଭିଜ୍ଞାନ=ସ୍ମାରକବସ୍ତୁ+ ଶକୁନ୍ତଳା; ଯେଉଁ ନାଟକରେ ତନ୍ନାମ୍ନୀ ବାଳିକା ଶକୁନ୍ତଳାଙ୍କ ସମ୍ବଦ୍ଧେ ପୂର୍ବସ୍ମୃତିର ଅଭିଜ୍ଞାନ ବା ସ୍ମାରକ ବସ୍ତୁର ବର୍ଣ୍ଣନା ଅଛି।] [ଦ୍ର—ରାଜା ଦୁଷ୍ମନ୍ତ କଣ୍ୱ ଋଷିଙ୍କଦ୍ୱାରା ବାଲ୍ୟକାଳରୁ ପାଳିତା ବିଶ୍ୱାମିତ୍ର ମେନକା କନ୍ୟା ଶକୁନ୍ତଳାଙ୍କୁ କଣ୍ୱାଶ୍ରମରେ ଦୈବାତ୍ ଭେଟି ତାଙ୍କୁ ଗାନ୍ଧର୍ବ ବିଧିରେ ବିବାହ କରିଥିଲେ ଓ ତାଙ୍କୁ ସନ୍ତକ ସ୍ୱରୂପ ନିଜର ଛାପାମୁଦିଟି ଦେଇଥିଲେ। ଦୁର୍ବାସାଙ୍କ ଅଭିଶାପରୁ ଶକୁନ୍ତଳାଙ୍କ ହାତରୁ ସେ ମୁଦିଟି ନଈରେ ହଜିବାରୁ ଦୁଷ୍ମନ୍ତ ଗର୍ଭିଣୀ ଶକୁନ୍ତଳାଙ୍କୁ ଚିହ୍ନି ପାରିଲେ ନାହିଁ। ଶକୁନ୍ତଳା ସ୍ୱାମୀଙ୍କ ଦ୍ୱାରା ପ୍ରତ୍ୟାଖ୍ଯାତା ହୋଇ ରୋଦନ କରିବା ବେଳେ ତାଙ୍କ ମାତା ମେନକା ଶୂନ୍ୟରୁ ଆସି ଶକୁନ୍ତଳାଙ୍କୁ ଶୂନ୍ୟେଶୂନ୍ୟେ ଉଠାଇ ନେଇ ସ୍ୱର୍ଗରେ ରଖିଲେ ଓ ସେହିଠାରେ ଶକୁନ୍ତଳାଙ୍କର ଭରତ ନାମକ ପ୍ରତିଭାଶାଳୀ କୁମାର ଜନ୍ମ ହେଲେ। ଶକୁନ୍ତଳାଙ୍କ ହାତରୁ ପାଣିରେ ଖସିପଡ଼ିଥିବା ମୁଦିଟିକୁ ଗୋଟିଏ ମାଛ ଗିଳିଥିଲା। ଦୈବକ୍ରମେ ଜଣେ କେଉଟ ସେ ମାଛକୁ ଜାଲରେ ଧରି ଆଣିବାରୁ ସେ ମାଛ କଟା ହେଲା ବେଳେ, ତା ପେଟରୁ ଉକ୍ତ ମୁଦିଟି ମିଳିଲା। ସେ ମୁଦି ରାଜାଙ୍କ ଛାପା ମୁଦି ଥିବା ଦେଖି ରାଜକର୍ମଚାରିମାନେ ତାକୁ ଦୁଷ୍ମନ୍ତଙ୍କ ଛାମୁରେ ଉପସ୍ଥାପିତ କଲେ। ସେହି ଅଭିଜ୍ଞାନ—ମୁଦ୍ରିକାକୁ ଦେଖିଲା କ୍ଷଣି ଦୁଷ୍ମନ୍ତଙ୍କ— ଠାରେ ଶକୁନ୍ତଳାଙ୍କ ପୂର୍ବସ୍ମୃତି ଜାଗରିତ ହେଲା ଓ ସେ ଶକୁନ୍ତଳାଙ୍କୁ ଅନ୍ୟାୟକ୍ରମେ ପ୍ରତ୍ୟାଖ୍ୟାନ କରିଥିବାର ଉପଲବ୍ଧି କରି ମର୍ମାହତ ହେଲେ। ପରେ ସେ ଦାନବିଜୟ କରିବା ପାଇଁ ଇନ୍ଦ୍ରଙ୍କ ଆହ୍ୱାନକ୍ରମେ ସ୍ୱର୍ଗକୁ ଯାଇ ସେଠାରେ ନିଜ ପୁତ୍ର ଭରତଙ୍କୁ ଦୈବାତ ଭେଟିଲେ ଓ ସେହିଠାରେ ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କର ଭେଟ ଓ ମିଳନ ହେଲା। କାଳିଦାସଙ୍କର ଏ ନାଟକକୁ ଗେଟେ ପ୍ରମୁଖ ପାଶ୍ଚାତ୍ୟ ମହାପଣ୍ଡିତମାନେ ପୃଥିବୀର ଓ ବିଶ୍ୱସାହିତ୍ୟର ଉଜ୍ୱଳତମ ଓ ସରସ ଗ୍ରନ୍ଥ ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରି ଅଛନ୍ତି।]